ବଚୋ ବିନ୍ୟାସ

ମହର୍ଷି ଦଣ୍ଡୀଙ୍କ କାବ୍ୟାଦର୍ଶର ଏହି ଉକ୍ତିଟି କହେ ଯେ ଯଦି ଶବ୍ଦ ରୂପକ ଜ୍ୟୋତି ଏ ସମଗ୍ର ସଂସାରକୁ ଉଦ୍ଦୀପିତ କରି ନ ଥା’ନ୍ତା ତେବେ ଏ ତିନି ଭୁବନ ଅନ୍ଧକାରର ଗହ୍ୱରରେ ବିଲୀନ ହୋଇଯାଇଥା’ନ୍ତା । ଏହା କେବଳ ଦଣ୍ଡୀଙ୍କର କଥା ନୁହେଁ, କହି ବୋଲି ପାରୁଥିବା ପ୍ରତ୍ୟେକ ପ୍ରାଣୀ ଭାଷାର ଏହି ମହତ୍ତ୍ୱକୁ ଅନୁଭବ କରିଥାଏ ।

ଭାଷା ହେଉଛି କହି ବୋଲି ପାରିବାର ଏକ ଅଦ୍ଭୁତ ବରଦାନ, ଏହା ଯେ କେବଳ ଭାବ ଓ ବିଚାର ପ୍ରଭୃତିର ପ୍ରକାଶନର ଏକ ମାଧ୍ୟମ ତାହା ନୁହେଁ, ଅପରନ୍ତୁ ଏହା କହୁଥିବା ବ୍ୟକ୍ତିବିଶେଷଙ୍କର ସାମାଜିକ ସ୍ଥିତି ଓ ସାଂସ୍କୃତିକ ପୃଷ୍ଠଭୂମିର ପରିଚୟ ମଧ୍ୟ ଦେଇଥାଏ । ତେଣୁ ଯେଉଁ ଭାଷା ଯେତେ ବଳିଷ୍ଠ ଓ ସୁନ୍ଦର, ସେହି ଭାଷାକୁ ବ୍ୟବହାର କରୁଥିବା ଜାତିର ସଭ୍ୟତା, ସଂସ୍କୃତି ଓ ସାହିତ୍ୟ ପ୍ରଭୃତି ମଧ୍ୟ ସେତିକି ବଳିଷ୍ଠ ଓ ସୁନ୍ଦର ବୋଲି ଧରାଯାଇଥାଏ ।

ଭାଷା ମଧ୍ୟରେ ରହିଛି ଅସୀମ ଶକ୍ତି, ଭାଷାକୁ ଯଦି ଠିକ୍ ଭାବରେ ବ୍ୟବହାର କରାଯାଇପାରେ ତେବେ ଏହା ପ୍ରତ୍ୟେକ କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଆଣିବା ସହ ଏହାକୁ ବ୍ୟବହାର କରୁଥିବା ବ୍ୟକ୍ତିକୁ ଅନେକ ସୁଫଳ ଆଣି ଦେଇଥାଏ । ସେଥିପାଇଁ ଶ୍ରୁତି କହେ “ଏକଃ ଶବ୍ଦଃ ସମ୍ୟକ୍ ଜ୍ଞାତଃ ସୁପ୍ରୟୁକ୍ତଃ ସ୍ୱର୍ଗେ ଲୋକେ ଚ କାମଧୁଗ୍ ଭବତି” । ଅର୍ଥାତ୍ ଗୋଟିଏ ମାତ୍ର ଶବ୍ଦକୁ ଯଦି କେହି ଭଲ ଭାବରେ ଜାଣି ଏହାର ସୁପ୍ରୟୋଗ କରିଥାଏ ତେବେ ଏହା ସ୍ଵର୍ଗଲୋକ ଓ ଇହଲୋକ ଉଭୟରେ ମହାନ ଫଳ ପ୍ରଦାନ କରିଥାଏ । ତେଣୁ ବିଚାର କଲେ ଜଣାଯାଏ ଯେ ମୁଖ୍ୟତଃ ସବୁକିଛି ନିର୍ଭର କରେ ଭାଷାର ସୁଷ୍ଠୁ ପ୍ରୟୋଗରେ । ଭାଷାର ଅପପ୍ରୟୋଗ ଅନେକ ଅପ୍ରୀତିକର ପରିସ୍ଥିତି ମଧ୍ୟ ସୃଷ୍ଟି କରିଥାଏ, ଭାଷା ମଧ୍ୟରେ ଏ ଉଭୟ ଶକ୍ତି ରହିଛି । ସୁଷ୍ଠୁ ପ୍ରୟୋଗରେ ଏହା ସୁଫଳ ପ୍ରଦାନ କରିଥାଏ । ଅପପ୍ରୟୋଗରେ ଏହା କୁଫଳ ପ୍ରଦାନ କରିଥାଏ । ବେଦରେ ତ୍ୱଷ୍ଟା ନିଜର ସାମାନ୍ୟ ତୃଟି ପାଇଁ କେତେବଡ଼ ଭୟଙ୍କର ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ ତାହା ନିମ୍ନ କଥାଟିରୁ ଜଣାଯାଇଥାଏ । ନିଜର ପୁତ୍ରହତ୍ୟାର ପ୍ରତିଶୋଧ ନେବା ପାଇଁ ତ୍ୱଷ୍ଟା ଏକ ଯଜ୍ଞର ଆୟୋଜନ କରିଥିଲେ । ସେହି ଯଜ୍ଞରେ ‘ଇନ୍ଦ୍ରଶତ୍ରୁର୍ବର୍ଦ୍ଧସ୍ୱ’ ଏହି ମନ୍ତ୍ରଟି ଉଚ୍ଚାରଣ କରି ଆହୁତି ପ୍ରଦାନ କରାଯାଉଥିଲା । ଏହାର ଅର୍ଥ ଥିଲା ଇନ୍ଦ୍ରର ଶତ୍ରୁ ଅର୍ଥାତ୍ ଇନ୍ଦ୍ରକୁ ହତ୍ୟା କରିବା ପୁରୁଷ ଏହି ଯଜ୍ଞକୁଣ୍ଡରୁ ଉଭୁତ ହେଉ ଏବଂ ତା’ର ଅଭିବର୍ଦ୍ଧନ ହେଉ । କିନ୍ତୁ ଇନ୍ଦ୍ରଶତ୍ରୁ ଶବ୍ଦର ଶେଷରେ ଉଦାତ୍ତ ସ୍ଵର କରିବା ପରିବର୍ତ୍ତେ ବାରଂବାର ଇନ୍ଦ୍ର ଶବ୍ଦରେହିଁ ଉଦାତ୍ତ ସ୍ଵର ହେଉଥିଲା, ଯାହାଫଳରେ ଇନ୍ଦ୍ରଶତ୍ରୁ ଶବ୍ଦର ଅର୍ଥ ବଦଳି ଗଲା, ଇନ୍ଦ୍ର ଶବ୍ଦରେ ଉଦାତ୍ତ ହେବା ଦ୍ୱାରା ଇନ୍ଦ୍ରଶତ୍ରୁ ଶବ୍ଦର ଅର୍ଥ ହେଲା ଇନ୍ଦ୍ର ଯାହାର ଶତ୍ରୁ ବା ଇନ୍ଦ୍ର ଯାହାକୁ ମାରିବେ ସେହି ପୁରୁଷର ଅଭିବର୍ଦ୍ଧନ ହେଉ । ତେଣୁ ଇନ୍ଦ୍ର ପ୍ରଥମେ ସେହି ପୁରୁଷର ଘାତକ ହେଲେ ଯାହାଫଳରେ ଯଜ୍ଞର ଅଭୀଷ୍ଟ ଫଳ ତ୍ୱଷ୍ଟା ପାଇପାରିଲେ ନାହିଁ । ଏହିପରି ଅନେକ ଲୌକିକ ଘଟଣା ମଧ୍ୟ ପରିଦୃଷ୍ଟ ହୁଏ ଯାହାଫଳରେ ଅନେକ ଅନେକ ଭୁଲ୍ବୁଝାମଣା ଦେଖା ଦେଇଥାଏ । ତେଣୁ ଭାଷାର ସୁବ୍ୟବହାର ବା ସୁଷ୍ଠୁ ପ୍ରୟୋଗ ଏକ ମହତ୍ତ୍ୱପୂର୍ଣ୍ଣ ବିଷୟ । ଏବିଷୟରେ ମହାନ୍ ଜାଗରୁକତା ମଧ୍ୟ ବିଧେୟ । ମହର୍ଷି ପତଞ୍ଜଳିଙ୍କ ମହାଭାଷ୍ୟରେ କୁହାଯାଇଛି -

ୟସ୍ତୁ ପ୍ରୟୁଙ୍କ୍ତେ କୁଶଲୋ ବିଶେଷେ ଶବ୍ଦାନ୍ ଯଥାବଦ୍ ବ୍ୟବହାରକାଲେ । ସୋନନ୍ତମାପ୍ନୋତି ଜୟଂ ପରତ୍ର ବାଗ୍-ୟୋଗବିଦ୍ ଦୁଷ୍ୟତି ଚାପଶବ୍ଦୈଃ ||

ଯେ ବାଗ୍-ୟୋଗବିତ୍ ସେ ଭାଷାର ବ୍ୟବହାର ସମୟରେ କୁଶଳତାର ସହ ଶବ୍ଦମାନଙ୍କର ଯଥାର୍ଥ ପ୍ରୟୋଗ କରି ଅନନ୍ତ ସୁଫଳକୁ ପ୍ରାପ୍ତ ହୋଇଥାଏ । ଏବଂ ଏହାଠାରୁ ଯେ ବିପରୀତ ସେ ଅପଶବ୍ଦର ଭାରରେ ନିଜକୁ ତଥା ନିଜର ପରିବେଶକୁ ଦୂଷିତ କରିଥାଏ ।

ଭାଷାକୁ ଠିକ୍ ଭାବେ ବ୍ୟବହାର କରିପାରିଲେ ଭାଷା ମଧ୍ୟରେ ସୁନ୍ଦରତା ଆସିଥାଏ । ଏହି ସୁନ୍ଦରତାହିଁ ଭାଷାର ଏକ ବିଶେଷ ଗୁଣ । ଏହି ଗୁଣଟି ଠିକ୍ ଭାବେ ପ୍ରକାଶିତହୋଇପାରିଲେ ଏହା କ୍ଷୁଦ୍ରକୁ ମହାନ୍ କରି ଦେଇଥାଏ ତଥା ଅସୁନ୍ଦର ବସ୍ତୁରେ ମଧ୍ୟ ସୁନ୍ଦରତା ଭରି ଦେଇଥାଏ । ଏହି ବିଶେଷ ଗୁଣଟି ସାଧାରଣତଃ ବାଗ୍-ୟୋଗବିତ୍ ମାନଙ୍କ ମଧ୍ୟରେ ଅଧିକ ପରିମାଣରେ ଥାଏ । ସେମାନେ ତାଙ୍କର ବାଗ୍-ବର୍ଣ୍ଣନା ମାଧ୍ୟମରେ ସମସ୍ତଙ୍କୁ ମୁଗ୍ଧ ଚକିତ କରି ଦେଇଥାନ୍ତି । ଜଗନ୍ନାଥ ପଣ୍ଡିତ କହନ୍ତି –

ୟାନ୍ ଏବ ଶବ୍ଦାନ୍ ବୟମାଲପାମଃ ୟାନ୍ ଏବ ଶବ୍ଦାନ୍ ବୟମୁଲ୍ଲିଖାମଃ ।

ତୈରେବ ବିନ୍ୟସ୍ତପଦସମୂହହୈଃ ସମ୍ମୋହୟନ୍ତେ କବୟୋ ଜଗନ୍ତୀ ||

ଏହାର ଅର୍ଥ ହେଲା ଯେଉଁ ଯେଉଁ ଶବ୍ଦମାନ ଆମେ କହିବା ପାଇଁ ବ୍ୟବହାର କରୁ, ଯେଉଁ ଯେଉଁ ଶବ୍ଦମାନ ଆମେ ପ୍ରତିଦିନ ଲେଖୁଥାଉ, କବିମାନେ ସେହି ସେହି ପଦସମୂହର ଏପରି ବିନ୍ୟାସ କରିଥାନ୍ତି ଯେ ସମଗ୍ର ଜଗତ ମୋହିତ ହୋଇଥାଏ । ତେଣୁ ଗୋଟିଏ କଥାକୁ କହିବାର ବା ଉପସ୍ଥାପନ କରିବାର ଢଙ୍ଗ ବା ଶୈଳୀ ଉପରେ ଭାଷାତତ୍ତ୍ୱର ଅନେକ କିଛି ନିର୍ଭର କରି ଥାଏ । ପ୍ରକୃତରେ ଦେଖିବାକୁ ଗଲେ ଏ ସଂସାରରେ ଯାହାକୁ ଆମେ ନୂଆ କଥା ବା ନୂଆ ତତ୍ତ୍ୱ ବୋଲି କହିଥାଉ ତାହା ବାସ୍ତବରେ ନୂଆ ନୁହେଁ । ଏହାର ପ୍ରକୃତ ନୂତନତାଟି ଲୁଚି ରହିଥାଏ ଏହି ତତ୍ତ୍ୱର ବା କଥାର ଉପସ୍ଥାପନର ଶୈଳୀ ବା ଢଙ୍ଗରେ । ତେଣୁ ଜୟନ୍ତ ଭଟ୍ଟ ତାଙ୍କର ନ୍ୟାୟ-ମଞ୍ଜରୀ ଗ୍ରଛରେ କହିଛନ୍ତି -

କୁତୋ ବା ନୂତନଂ ବସ୍ତୁ ବୟମୁତ୍ପ୍ରେକ୍ଷିତୁଂ କ୍ଷମାଃ । ବଚୋ ବିନ୍ୟାସବୈଚିତ୍ର୍ୟମାତ୍ରମତ୍ର ପ୍ରଚକ୍ଷତେ ||

ଏହାର ଆଶୟ ହେଲା ଯେ କହିବାର ଢଙ୍ଗ ବା ଶୈଳୀ, ଯାହାକୁ ଜୟନ୍ତ ଭଟ୍ଟ ବଚୋ ବିନ୍ୟାସ ବୋଲି ଆଖ୍ୟା ଦେଇଛନ୍ତି, ତାହାହିଁ ଭାଷା ବ୍ୟବହାରର ଏକ ପ୍ରମୁଖ ତତ୍ତ୍ୱ ଏହି ତତ୍ତ୍ୱ ଭିତରେହିଁ ଲୁଚି ରହିଥାଏ ଭାଷାର ସୁନ୍ଦରତା | ଏହି ତତ୍ତ୍ୱହିଁ ପ୍ରତ୍ୟେକ ବସ୍ତୁରେ ନୂତନତ୍ୱ ଭରି ଦେଇଥାଏ । ଏହା ଫଳରେହିଁ ଗୋଟିଏ ପୁରାତନ ବସ୍ତୁ ନୂତନ ଭଳି ପ୍ରତିଭାତ ହୋଇଥାଏ | ଯଥାର୍ଥରେ କବି ମାଘ କହିଛନ୍ତି – କ୍ଷଣେ କ୍ଷଣେ ୟନ୍ନବତାମୁପୈତି ତଦେବ ରୂପଂ ରମଣୀୟତାୟାଃ – ଯାହା ପ୍ରତିକ୍ଷଣରେ ନୂତନତ୍ୱର ପ୍ରକାଶକ ହୋଇଥାଏ ତାହାହିଁ ସୁନ୍ଦରତାର ପ୍ରକୃତ ସ୍ଵରୂପ ।

ଭାଷା ଏକ ଜନ୍ମଗତ ଗୁଣ ନୁହେଁ । ଏହା ଏକ ଅର୍ଜିତ ଗୁଣ । ଜଣେ ଚାହିଁଲେ ତା’ର ଭାଷାକୁ ସୁନ୍ଦର କରିପାରିବ ନ ଚାହିଁଲେ ତା’ର ଭାଷା ମୃତାବସ୍ଥାକୁ ଗ୍ରହଣ କରିବ ।

ଭାଷାର ପ୍ରମୁଖ କାର୍ଯ୍ୟ ହେଲା ଏକ ବ୍ୟକ୍ତିର ଭାବ, ବିଚାର ଓ ଅନୁଭୂତି ସମୂହକୁ ପ୍ରକାଶ କରିବା । ମୁଖ୍ୟତଃ ଏହା ଏକ ମାଧ୍ୟମ । ଏଇ ମାଧ୍ୟମର ସହାୟତାରେ ବ୍ୟକ୍ତି ତା’ର ଭାବବିଚାର ପ୍ରଭୃତିକୁ ଏକ ଭାଷାର ରୂପ ଦେବା ସହ ସେସବୁକୁ ଅନ୍ୟ ମାନଙ୍କ ନିକଟରେ ପହୁଞ୍ଚାଇବାକୁ ମଧ୍ୟ ସମର୍ଥ ହୋଇଥାଏ । ଏହି ଦୃଷ୍ଟିର ବିଚାର କଲେ ଭାଷା ବ୍ୟବହାରରେ ଚାରିଗୋଟି ମହତ୍ତ୍ୱପୂର୍ଣ୍ଣ ତତ୍ତ୍ୱ ପରିଲକ୍ଷିତ ହୋଇଥାଏ ।

(୧) ବକ୍ତା ବା ଲେଖକ (୨) ଶ୍ରୋତା ବା ପାଠକ (୩) ମାଧ୍ୟମ (୪) ସନ୍ଦେଶ

ବକ୍ତା ବା ଲେଖକ ନିଜର ଭାବରାଜିକୁ ଅନ୍ୟ ନିକଟରେ ପହୁଞ୍ଚାଇଥାନ୍ତି । ଯାହା ନିକଟରେ ଏହା ପହଞ୍ଚିଥାଏ ସେ ଶ୍ରୋତା ବା ପାଠକ । ମାଧ୍ୟମ ହେଉଛି ସେହି ତତ୍ତ୍ୱ ଯାହା ବକ୍ତା ବା ଲେଖକଙ୍କୁ ଶ୍ରୋତା ବା ପାଠକଙ୍କ ନିକଟରେ ପହୁଞ୍ଚାଇଥାଏ । ବକ୍ତା ବା ଲେଖକ ଯାହା କିଛି ଶ୍ରୋତା ବା ପାଠକଙ୍କ ନିକଟରେ ପହୁଞ୍ଚାଇଥାନ୍ତି ତାହା ହେଉଛି ସନ୍ଦେଶ । ଏହି ଚାରୋଟି ତତ୍ତ୍ୱର ପରସ୍ପର ମଧ୍ୟରେ ସମନ୍ୱୟ ସ୍ଥାପିତ ହୋଇପାରିଲେ ଭାଷା ମଧ୍ୟରେ ‘ସୁନ୍ଦରତା’ ଆସିଥାଏ । ଏହି ଚାରୋଟି ତତ୍ତ୍ୱର ଠିକ୍ ଠିକ୍ ଭାବେ ନିଜର କାର୍ଯ୍ୟ ସଂପାଦନ କରିପାରିଲେ ଭାଷା ହୁଏ ପ୍ରଭାବଶାଳୀ |

ପ୍ରଥମତଃ ବକ୍ତା ଓ ଶ୍ରୋତା ଉଭୟଙ୍କ ମଧ୍ୟରେ ଏକ ନିୟମ ସଂହିତା ରହିବା ଆବଶ୍ୟକ । ବକ୍ତା ସର୍ବଦା ମନରେ ଏକଥା ରଖୁବା ଦରକାର ଯେ ଶ୍ରୋତା ତା’ର କଥାକୁ ଗ୍ରହଣ କରିବାରେ କେତେଦୂର ସମର୍ଥ । ଏଥିପାଇଁ ନିମ୍ନଲିଖ ତିନୋଟି ତତ୍ତ୍ବର ଆବଶ୍ୟକତା ରହିଛି ।

(୧) ପ୍ରୟୋଗରେ ଶୁଦ୍ଧତା (୨) ଭାଷାରେ ସରଳତା ଓ ସହଜତା (୩) ସନ୍ଦେଶରେ ସ୍ପଷ୍ଟତା

ଶୁଦ୍ଧତା ହେଉଛି ଭାଷା ମଧ୍ୟରେ ଥିବା ସୁନ୍ଦରତା ରୂପକ ଗୁଣର ପ୍ରଥମ ଚରଣ । ଅଶୁଦ୍ଧ ପ୍ରୟୋଗ ଦ୍ଵାରା ବକ୍ତା ଯେ ଶ୍ରୋତା ନିକଟରେ ଠିକ୍ ଭାବରେ ପହଞ୍ଚିପାରେ ନାହିଁ ତଥା ସେ ତା’ ନିଜକୁ ଦୂଷିତ କରିବା ସହ ପରିବେଶକୁ ମଧ୍ୟ ଦୂଷିତ କରିଥାଏ । ଦ୍ୱିତୀୟତଃ ଯେତେଦୂର ସମ୍ଭବ ଭାଷା ମଧ୍ୟରେ ସହଜତା ଓ ସରଳତା ରହିବା ଆବଶ୍ୟକ । ଭାଷା ମଧ୍ୟରେ ସେତିକି ବେଳେ ସୁନ୍ଦରତା ରୂପକ ଗୁଣଟି ଆହୁରି ଫୁଟିଉଠେ, ଯେତେବେଳେ ଭାଷା କାଠିନ୍ୟକୁ ପରିତ୍ୟାଗ କରି ସାରଲ୍ୟକୁ ଗ୍ରହଣ କରିଥାଏ । ଭାଷା କେବଳ ସରଳ ହେଲେ ଚଳିବ ନାହିଁ ଏହା ସହଜ ହେବା ମଧ୍ୟ ଦରକାର । ଭାଷା କଠିନ ହେଉ ବା ସରଳ ହେଉ ସେଥିରେ ଯଦି ସହଜତା ନ ଥାଏ, ତେବେ ତାହ। ପ୍ରଭାବଶାଳୀ ହୋଇପାରେ ନାହିଁ । ଯେଉଁ ଭାଷାରେ ସହଜତା ନ ଥାଏ ତାହାକୁ “ସପ୍ରୟାସ ଭାଷା’ ବୋଲି କୁହାଯାଏ । ଅର୍ଥାତ୍ ଏ ପ୍ରକାର ଭାଷାରେ ବକ୍ତାକୁ ତା’ର ବିଚାର ପ୍ରଭୃତିର ପରିସ୍ଫୁଟନ ପାଇଁ ଯେଉଁ ଯେଉଁ ଶବ୍ଦ ପ୍ରୟୋଗ କରିବା କଥା ସେହି ସେହି ଶବ୍ଦମାନଙ୍କୁ ଭାଷାର ରୂପ ଦେବା ପାଇଁ ଅନେକ ଚେଷ୍ଟା କରିବାକୁ ପଡ଼ିଥାଏ । ଏ ପ୍ରକାର ଭାଷା ସାଧାରଣତଃ କୃତ୍ରିମ ହୋଇଥାଏ । ଏବଂ ସମୟେ ସମୟେ ହାସ୍ୟାସ୍ପଦ ମଧ୍ୟ ହୋଇଥାଏ । ଅପରପକ୍ଷରେ ବକ୍ତାର ଯେତେବେଳେ ହୃଦ୍‌ବୋଧ ହୁଏ ଯେ ସେ ଯାହାକିଛି କହୁଛି ତାହା ଭାବିଚିନ୍ତି କହୁ ନାହିଁ, ଅପରନ୍ତୁ ତା’ର ଭାବ ଓ ବିଚାରର ଅନୁକୁଳ ଶବ୍ଦମାନ ତା’ର ମନକୁ ଆପେ ଆପେ ଆସି ଯାଉଛନ୍ତି, ସେତେବେଳେ ତା’ ପାଇଁ ଭାଷା ସହଜ ହୋଇଯାଏ । ଏହାକୁ କୁହାଯାଏ ‘ସହଜଭାଷା’ । ଏହା କଠିନ ହୋଇପାରେ ସରଳ ମଧ୍ୟ ହୋଇପାରେ । କାରଣ ସହଜଭାବରେ ବା ବିନା ପ୍ରୟାସରେ ଜଣେ ବକ୍ତା ମଧ୍ୟରେ କଠିନ ଶବ୍ଦମାନ ମଧ୍ୟ ଆସିପାରେ । କିନ୍ତୁ କଠିନ ଶବ୍ଦଯୁକ୍ତ ସହଜ ଭାଷା ଓ ସରଳଶବ୍ଦଯୁକ୍ତ ସହଜଭାଷା ମଧ୍ୟରେ ଏକ ମହତ୍ତ୍ୱପୂର୍ଣ୍ଣ ପାର୍ଥକ୍ୟ ରହିଛି । କଠିନ ଶବ୍ଦଯୁକ୍ତ ସହଜ ଭାଷା ମଧ୍ୟରେ ଚମତ୍କାରିତା ଥାଏ । କିନ୍ତୁ ଏହା ପ୍ରଭାବଶାଳୀ ହୋଇପାରେ ନାହିଁ । ଭାଷାର ପ୍ରଭାବାତ୍ମକ ଗୁଣଟି କେବଳ ସରଳଶବ୍ଦଯୁକ୍ତ ସହଜଭାଷା ମଧ୍ୟରେହିଁ ଲୁଚି ରହିଥାଏ । ଉଦାହରଣ ସ୍ଵରୂପ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର କାବ୍ୟ ରଚନା ପ୍ରଭୃତି ପାଠକମାନଙ୍କୁ ଚମକୃତ କରିଦେଇଥାଏ । କିନ୍ତୁ ପାଠକମାନଙ୍କ ଉପରେ ପ୍ରଭାବ ପକାଇବାର ଶକ୍ତି ଯଥେଷ୍ଟ ପରିମାଣରେ ଏସବୁରେ ନ ଥାଏ । କାରଣ ଉପେନ୍ଦ୍ର ଭଞ୍ଜଙ୍କର ଭାଷାରେ ସହଜତା ଥିଲେ ମଧ୍ୟ ଏହା କଠିନ ଶବ୍ଦାବଳିଯୁକ୍ତ । ଅପରପକ୍ଷରେ ଯଦି ଜଗନ୍ନାଥ ଦାସଙ୍କର ଭାଗବତ କଥା ବିଚାର କରାଯାଏ, ତେବେ ଦେଖାଯାଏ ଯେ ଭାଗବତର ଭାଷାରେ ଯଥେଷ୍ଟ ପରିମାଣରେ ଅନ୍ୟକୁ ପ୍ରଭାବିତ କରିବାର ଶକ୍ତି ଭରିରହିଛି । କାରଣ ଭାଗବତର ଭାଷାରେ ସହଜତା ସହିତ ସରଳତା ମଧ୍ୟ ରହିଛି । ତୃତୀୟତଃ ବକ୍ତା ଯେଉଁ ଅନୁଭୂତି ଟିକକ ଯେଉଁ ଭାବ ଟିକକ ଭାଷା ମାଧ୍ୟମରେ ପ୍ରକାଶ କରିବାକୁ ଚାହେଁ ଅଥବା ଯାହାକିଛି ଶ୍ରୋତା ନିକଟରେ ପହୁଞ୍ଚାଇବାକୁ ଚାହେଁ, ସେଥିରେ ସୃଷ୍ଟତା ଥିବା ଦରକାର । ଅର୍ଥାତ୍ ବକ୍ତା ଏପରି ଶବ୍ଦମାନଙ୍କର ମାଧ୍ୟମରେ ନିଜର ଭାବରାଜି ପ୍ରଭୃତିକୁ ପ୍ରକାଶ କରିବା ଦରକାର ଯାହା ଶ୍ରୋତା ମନରେ କୌଣସି ପ୍ରକାରେ ଅସ୍ପଷ୍ଟତାର ଭାବ ସୃଷ୍ଟି ନ କରେ । ତେଣୁ ବକ୍ତାକୁ ଶବ୍ଦ ପ୍ରୟୋଗର ଶୁଦ୍ଧତା ଓ ସ୍ପଷ୍ଟତା ସହ ଭାବ ଓ ବିଚାରର ସ୍ପଷ୍ଟତା ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡ଼ିଥାଏ ।

ଏସବୁରୁ ଏହି ନିଷ୍କର୍ଷ ଜାତ ହୁଏ ଯେ ଏକ ଶୁଦ୍ଧ, ସହଜ, ସରଳ, ବୋଧଗମ୍ୟ ଭାଷାକୁହିଁ ସୁନ୍ଦର ଭାଷା ବୋଲି କୁହାଯାଇପାରିବ ।

ଏହି ପ୍ରକାରର ଭାଷାର ବ୍ୟବହାର ଦୈନନ୍ଦିନ ଜୀବନ ତଥା ମୌଳିକ ରଚନା ପ୍ରଭୃତି ଅତିରିକ୍ତ ଅନୁବାଦ କ୍ଷେତ୍ରରେ କର।ଯିବା ମଧ୍ୟ ଆବଶ୍ୟକ । ସାଂପ୍ରତିକ ଅନୁବାଦ ସାହିତ୍ୟଗୁଡ଼ିକୁ ଯଦି ଭାଷା ଦୃଷ୍ଟିରୁ ପରିଶୀଳନ କରାଯାଏ ତେବେ ପ୍ରାୟତଃ ଅନୁବାଦଗୁଡ଼ିକର ଭାଷା ଯେ ସପ୍ରୟାସ ଏହା ଯେ କୌଣସି ପାଠକ ଅନୁଭବ କରିପାରିବ । ସାଧାରଣତଃ ଦେଖାଯାଇଥାଏ ଯେ ଗୋଟିଏ ମୌଳିକ ରଚନା ଅପେକ୍ଷା ସେହି ଅନୁବାଦଟିକୁ ପଢ଼ିବାରେ ତଥା ବୁଝିବାରେ ପାଠକ କଷ୍ଟ ଅନୁଭବ କରିଥାଏ । ଏହାର ମୁଖ୍ୟ କାରଣ ହେଉଛି ଅନେକ କ୍ଷେତ୍ରରେ ଅନୁବାଦକମାନେ ମୌଳିକ ରଚନାରେ ଥିବା ଶବ୍ଦଗୁଡ଼ିକର ଆଭିଧାନିକ ଅର୍ଥଗୁଡ଼ିକୁ ସିଧାସଳଖ ଅନୁବାଦ ପାଇଁ ବ୍ୟବହାର କରି ଥାଆନ୍ତି । ଏହାକୁ ସମଗ୍ର ଅନୁବାଦସାହିତ୍ୟର ଗୋଟିଏ ମୁଖ୍ୟ ଦୋଷ ବୋଲି କୁହାଯାଇପାରେ । ଅପରପକ୍ଷରେ ଯଦି ମୌଳିକ ରଚନାର ଭାବ, କଥାବସ୍ତୁ, ଶାବ୍ଦିକ ସୌଷ୍ଠବ, ବାକ୍ୟ ରଚନାର ଶୈଳୀ ପ୍ରଭୃତିକୁ ପ୍ରାଧାନ୍ୟ ଦେଇ ଏକ ସରଳ, ସୁନ୍ଦର ଓ ସହଜ ଭାଷା ମାଧ୍ୟମରେ ଅନୁବାଦ କରାଯାଏ ତେବେ ଅନୁବାଦଟି ବଳିଷ୍ଠ ଓ ପ୍ରଭାବାତ୍ମକ ହୋଇଥାଏ । ତେଣୁ ଜଣେ ଅନୁବାଦକ ଏକଥା ସର୍ବଦା ମନରେ ରଖୁବା ଦରକାର ଯେ ତା’ର ଅନୁବାଦଟି ମଧ୍ୟ ଏକ ସ୍ଵତନ୍ତ୍ର ମୌଳିକ ରଚନା ପରି ପ୍ରତିଭାତ ହେଉ । ଅନୁବାଦଟିକୁ ପଢ଼ି ପାଠକର ମନରେ ଏପରି ଭାବନା ଆସିବା ଦରକାର ଯେ ସେ ଏକ ଅନୁବାଦ ନୁହେଁ ବରଂ ଏକ ମୌଳିକ ରଚନା ପଢୁଛି । ଏ ପ୍ରସଙ୍ଗରେ କେତେକ ସୁନ୍ଦର ଅନୁବାଦର ଉଦାହରଣ ଦିଆଯାଇପାରେ — ଭାଗବତକାର ଅତିବଡ଼ି ଜଗନ୍ନାଥ ଦାସ ଯେପରି ଭାବେ ଶ୍ରୀମଦ୍ ଭଗବଦ୍ ଗୀତାର ନିମ୍ନଲିଖୁ ଶ୍ଳୋକଟିର ଅନୁବାଦ କରିଛନ୍ତି ତାହା ବାସ୍ତବରେ ପରିଶୀଳନୀୟ ।

ୟଦ୍ ୟଦାଚରତି ଶ୍ରେଷ୍ଠସ୍ତତ୍ତଦେବେତରୋ ଜନଃ ।

ସ ୟତ୍ ପ୍ରାମାଣଂ କୁରୁତେ ଲୋକସ୍ତଦନୁବର୍ତତେ ।।

ଅନୁବାଦ :

ମହତେ ଯାହା ଆଚରିବେ ଇତରେ ତାହାହିଁ କରିବେ

ସେ ଯାହା ପ୍ରମାଣ କରିବେ ଲୋକ ତଦନୁବର୍ତ୍ତୀ ହେବେ ।

ଏହିପରି ଭାବେ Robert Frost ଙ୍କର :

Woods are lovely Dark and deep

But I have promises to keep

And miles to go before I sleep

And miles to go before I sleep.

ଏହି ସୁନ୍ଦର ପଦ୍ୟଟିର ଓଡ଼ିଆ ଅନୁବାଦ ଯେ କେତେ ପ୍ରଭାବଶାଳୀ ତଥା ଚିତ୍ତାକର୍ଷକ ତାହା ଯେ କୌଣସି ପାଠକ ଅନୁଭବ କରିପାରିବ :

ସୁନ୍ଦର ଯେତିକି ଅନ୍ଧାର ସେତିକି ଏହି ଯେ ଗହନ ବନ

ଏଣୁ ତୁ ଆପଣା ସଙ୍କଳ୍ପେ ଅଟଳ ଅଚଳ ରହରେ ମନ।

ଆଗକୁ ପଡ଼ିଛି ପଥ ବହୁଦୂର ଆହୁରି ଅନେକ ବାକି

ଚାଲିବୁ ଚାଲିବୁ ନ ପଡ଼ିବୁ ଥକି ମୁଦିବା ଆଗରୁ ଆଖି ।।

ଏହାକୁ ପାଠ କରୁଥିବା ବ୍ୟକ୍ତି କେବେହେଁ ବିଶ୍ୱାସ କରିପାରିବ ନାହିଁ ଯେ ଏହା ଏକ ଅନୁବାଦ ।

ସବୁଠୁଁ ମହତ୍ତ୍ୱପୂର୍ଣ୍ଣ କଥା ହେଲା ଯେ ଭାଷାଗତ ସାରଲ୍ୟ ଓ ମୌଳିକ ଭାବର।ଜିର ସ୍ପଷ୍ଟତାହିଁ ଏହି ଅନୁବାଦଗୁଡ଼ିକୁ ଶ୍ରେଷସ୍ଥାନ ଦେଇ ପାରିଛନ୍ତି । ଏହିପରି ଭାବରେ ସମଗ୍ର ଅନୁବାଦ-ସାହିତ୍ୟରୁ ଏହିପ୍ରକାରର ଅନେକ ଉଦାହରଣ ସଂଗ୍ରହ କରାଯାଇପାରେ । ତେଣୁ ପରିଶେଷରେ ଏତିକି କୁହାଯାଇପାରେ ଯେ ଭାଷା ବ୍ୟବହାରର ପ୍ରତ୍ୟେକ କ୍ଷେତ୍ରରେ ଉପୟୁକ୍ତ ଭାଷାଗତ ତତ୍ତ୍ୱ ଗୁଡ଼ିକୁ ଧ୍ୟାନ ଦିଆଯାଇ ପାରିଲେ ସମଗ୍ର ଭାଷା ଜଗତରେ ଏକ କ୍ରାନ୍ତିକାରୀ ପରିବର୍ତ୍ତନ ଅଣାଯାଇ ପାରିବ ।

--

--

--

Author, speaker and researcher on subjects related to Sanskrit, Indian Culture, Spirituality, Yoga and Education. SahityaAkademi and President of India Awardee.

Love podcasts or audiobooks? Learn on the go with our new app.

Get the Medium app

A button that says 'Download on the App Store', and if clicked it will lead you to the iOS App store
A button that says 'Get it on, Google Play', and if clicked it will lead you to the Google Play store
Sampadananda Mishra

Sampadananda Mishra

Author, speaker and researcher on subjects related to Sanskrit, Indian Culture, Spirituality, Yoga and Education. SahityaAkademi and President of India Awardee.

More from Medium

Decoding Naked Lunch

The Day After Tuesday / But / Not Wednesday

One Child Missing is One Too Many