ସମତ୍ୱଂ ୟୋଗ ଉଚ୍ୟତେ

Sampadananda Mishra
4 min readDec 2, 2021

ଯେକୌଣସି କ୍ଷେତ୍ରରେ ପୂର୍ଣ୍ଣତା ପ୍ରାପ୍ତ କରିବାକୁ ହେଲେ ଏକାଗ୍ରତା ତଥା ଜ୍ଞାନର ଆଶ୍ରୟ ନେବାକୁ ପଡ଼ିଥାଏ । କିନ୍ତୁ ସମତ୍ୱ ବିନା ଏକାଗ୍ରତାକୁ ପ୍ରାପ୍ତ କରିବା ତଥା ଜ୍ଞାନକୁ ପ୍ରାପ୍ତ କରିବା ସମ୍ଭବ ହୋଇନଥାଏ । ତେଣୁ ପୂର୍ଣ୍ଣତା ପ୍ରାପ୍ତିର ଏକ ମୁଖ୍ୟ ସାଧନ ହେଉଛି ସମତ୍ୱ । ଯେଉଁ ଠାରେ ସମତ୍ୱ ନଥାଏ, ସେଠାରେ ପ୍ରକୃତି ଏକ ସମତ୍ୱବିହୀନ ଲୀଳା ରଚିଥାଏ । ଏପରି ସ୍ଥଳେ ବ୍ୟକ୍ତିଗତ ଇଛା, କାମନା, ଭାବନା ପ୍ରଭୃତିର ଲୀଳା ହିଁ ପ୍ରାଧାନ୍ୟ ଲାଭ କରିଥାଏ । କର୍ମ ଯୋଗରେ ପ୍ରତିଷ୍ଠିତ ହେବାକୁ ହେଲେ ସମତ୍ୱ ଅପରିହାର୍ଯ୍ୟ । ଶ୍ରୀମଦ୍ ଭଗବଦ୍ ଗୀତାରେ ଭଗବାନ୍ ଶ୍ରୀକୃଷ୍ଣ ସମତ୍ଵକୁ ଯୋଗର ସଂଜ୍ଞା ଦେଇ କହନ୍ତି –

ୟୋଗସ୍ଥଃ କୁରୁ କର୍ମାଣି ସଙ୍ଗଂ ତ୍ୟକ୍ତ୍ୱା ଧନଞ୍ଜୟ ।

ସିଦ୍ଧ୍ୟସିଦ୍ଧ୍ୟୋଃ ସମୋ ଭୂତ୍ୱା ସମତ୍ୱଂ ୟୋଗ ଉଚ୍ୟତେ ||( ୨ |୪୮)

ଏହି ସମତ୍ୱ କ’ଣ ? ଏହାକୁ କିପିର ନିଜ ମଧ୍ୟରେ ପ୍ରତିଷ୍ଠା କରାଯାଇପାରେ ? ଏ ସମସ୍ତ ବିଷୟ ଶ୍ରୀ ଅରବିନ୍ଦ ତାଙ୍କର ଗୀତା ନିବନ୍ଧମାଳା, ଯୋଗ ସମନ୍ଵୟ ପ୍ରଭୃତି ଗ୍ରନ୍ଥମାନଙ୍କରେ ବିସ୍ତାର ଭାବେ ଚର୍ଚ୍ଚା କରିଛନ୍ତି । ଶ୍ରୀ ଅରବିନ୍ଦ ତାଙ୍କର ସପ୍ତ ଚତୁଷ୍ଟୟ ଶୀର୍ଷକ ରଚନାରେ ସମତ୍ଵ ବା ସମତାର ଯେଉଁ ରୂପ ପ୍ରଦାନ କରିଛନ୍ତି ତାହାର ଆଧାରରେ ସମତାର ଗୂଢାର୍ଥ ପ୍ରତିପାଦନ କରିବା ଏହି ନିବନ୍ଧଟିର ଲକ୍ଷ୍ୟ ।

ଶ୍ରୀ ଅରବିନ୍ଦଙ୍କ ମତାନୁସାରେ ଏକ ଅବିଚଳିତ ଓ ଶାନ୍ତ ମନରେ ସମସ୍ତ ପ୍ରକାରର ଦ୍ଵନ୍ଦଭାବ ଯଥା- ଶୀତ-ଉଷ୍ଣ, ସୁଖଦୁଃଖ, ଯଶ-ଅପଯଶ ପ୍ରଭୃତିକୁ ସ୍ବୀକାର କରିନେବାର ସାମର୍ଥ୍ୟ ହିଁ ସମତ୍ଵ ବା ସମତା । ଏହି ସମତାର ଦୁଇ ଗୋଟି ରୂପ — ନିଷ୍କ୍ରିୟ ସମତା ତଥା ସକ୍ରିୟ ସମତା । ସ୍ଥିରତାର ସହ ସମସ୍ତ ଦୃନ୍ଦ ଦ୍ୱନ୍ଦ୍ୱ ଭାବକୁ ସ୍ୱୀକାର କରିନେବା ରୂପକ ସମତା ହେଉଛି ନିଷ୍କ୍ରିୟ ସମତା ! ଏ ସବୁର ସ୍ବୀକାର ପରେ ଯେଉଁ ସବୁ ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ ସେ ସମ୍ବନ୍ଧ ସମତା ହେଉଛି ସକ୍ରିୟ ସମତା ।

ଉପରେ ଯେଉଁ ନିଷ୍କ୍ରିୟ ସମତା କଥା କୁହାଗଲା ସେହି ନିଷ୍କ୍ରିୟ ସମତା ହେଉଛି ତିନି ପ୍ରକାରର । ତିତିକ୍ଷା, ଉଦାସୀନତା, ଓ ନତି । ଦୃଢ଼ତାର ସହ ପ୍ରିୟ-ଅପ୍ରିୟ, ସୁଖ-ଦୁଃଖ ପ୍ରଭୃତିର ସାହଚର୍ଯ୍ୟକୁ ସହଜ କରିନେବା ହେଉଛି ତିତିକ୍ଷା । ଏ ସମସ୍ତ ପରିସ୍ଥିତିରେ ଏକ ଅନୁଦବିଗ୍ନତା ବା ଅବିଚଳତାର ଭାବ ଦୃଢ଼ଭାବେ ରହିବା ଆବଶ୍ୟକ । ତେଣୁ ଦୁଃଖରେ ଭାଙ୍ଗି ନ ପଡ଼ିବା, ତଥା ସୁଖର ସ୍ରୋତରେ ଆନନ୍ଦବିଭୋର ହୋଇ ବହିନଯିବା ହିଁ ତିତିକ୍ଷା ! “ଦୁଃଖେଷ୍ୱନୁଦ୍‌ବିଗ୍ନମନାଃ ସୁଖେଷୁ ବିଗତସ୍ପୃହଃ ।” ଜଣେ ତିତିକ୍ଷୁ ଏକଥା ମନେ ରଖୁବା ଉଚିତ୍ ଯେ ଯେଉଁ ସୁଖ ଦୁଃଖ ପ୍ରଭୃତି ସାଧାରଣ ମନୁଷ୍ୟର ମନକୁ ବିଚଳିତ କରି ଦେଇଥାନ୍ତି ସେସବୁ ଅନିତ୍ୟ, ସେସବୁ ସମୁଦ୍ରର ତରଂଗ ପରି ଆସନ୍ତି ଏବଂ ଚାଲିଯା’ନ୍ତି । ତେଣୁ ଅବିଚଳିତ ଭାବେ ସେ ସବୁକୁ ସହିନେବା ହିଁ ପରମାର୍ଥ ପ୍ରାପ୍ତିରେ ସହାୟକ । ଶ୍ରୀମଦ୍ ଭଗବଦ୍ ଗୀତାରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବୁଝାଇ କହନ୍ତି -

ମାତ୍ରାସ୍ପର୍ଶାସ୍ତୁ କୌନ୍ତେୟ ଶୀତୋଷ୍ଣସୁଖଦୁଃଖଦାଃ ।

ଆଗମାପାୟିନୋଽନିତ୍ୟାସ୍ଥାଂସ୍ଥିତିକ୍ଷସ୍ୱ ଭାରତ ।।

ୟଂ ହି ନ ବ୍ୟଥୟନ୍ତ୍ୟେତେ ପୁରୁଷଂ ପୁରୁଷର୍ଷଭ ।

ସମଦୁଃଖସୁଖଂ ଧୀରଂ ସୋଽମୃତତ୍ୱାୟ କଳ୍ପତେ ।। (୨/୧୪-୧୫)

ଉଦାସୀନତା ହେଉଛି ଏକ ନିରପେକ୍ଷତାର ଭାବ । ଆକ୍ଷରିକ ଭାବେ ଏହାର ଅର୍ଥ ହେଉଛି ସମସ୍ତ ଶାରୀରିକ ତଥା ମାନସିକ ସ୍ପର୍ଶର ଉର୍ଧ୍ବରେ ଅବସ୍ଥାନ (ଉତ୍+ ଆସୀନ) । ଉଦାସୀନ ବ୍ୟକ୍ତି କାମନା ରହିତ । ସେ ଆନନ୍ଦ-ନିରାନନ୍ଦ, ସୁଖ-ଦୁଃଖ, ପ୍ରିୟ-ଅପ୍ରିୟ ପ୍ରଭୃତିର ସର୍ଶକୁ ଅନୁଭବ କରିନଥାଏ । ଅଥବା ଏସବୁ ତା’ର ଆତ୍ମାକୁ ନୁହେଁ ବରଂ ମନ ଓ ଶରୀରକୁ ହିଁ ସ୍ପର୍ଶ କରିଥାନ୍ତି ବୋଲି ଅନୁଭବ କରିଥାଏ । କାରଣ ଯେ ଉଦାସୀନତା ରୂପକ ସମତାକୁ ନିଜ ମଧ୍ୟରେ ପ୍ରତିଷ୍ଠିତ କରିଥାଏ ସେ ନିରପେକ୍ଷ ଭାବେ ମନ ଓ ଶରୀରର ଉର୍ଧ୍ବରେ ହିଁ ଅବସ୍ଥାନ କରିଥାଏ । ତେଣୁ ଏପରି ବ୍ୟକ୍ତି କୌଣସି ପରିସ୍ଥିତି ରେ ମଧ୍ୟ ବିଚଳିତ ହୋଇ ନଥାଏ । ସୁଖ-ଦୁଃଖ, ମାନ-ଅପମାନ, ନିନ୍ଦା-ସ୍ତୁତି, ଶତୃତା — ମିତ୍ରତା ଏ ସମସ୍ତ ପରିସ୍ଥିତିରେ ସମଭାବାପନ୍ନ ହୋଇ ପ୍ରକୃତିସ୍ଥ ହୋଇଥାଏ ତଥା ସମସ୍ତ ଗୁଣର ଉର୍ଧ୍ବରେ ଅବସ୍ଥାନ କରି ବ୍ରହ୍ମତୃକୁ ପ୍ରାପ୍ତ ହୋଇଥାଏ | ଭଗବାନ ଶ୍ରୀକୃଷ୍ଣ କହନ୍ତି -

ଉଦାସୀନବଦାସୀନୋ ଗୁଣୈର୍ଯୋ ନ ବିଚାଲ୍ୟତେ ।

ଗୁଣା ବର୍ତନ୍ତ ଇତ୍ୟେବଂ ଯୋଽବତିଷ୍ଠତି ନେଙ୍ଗତେ ।।

ସମଦୁଃଖସୁଖଃ ସ୍ୱସ୍ଥଃ ସମଲୋଷ୍ଟାଶ୍ମକାଞ୍ଚନଃ ।

ତୁଲ୍ୟପ୍ରିୟାପ୍ରିୟୋ ଧୀରସ୍ତୁଲ୍ୟନିନ୍ଦାତ୍ମସଂସ୍ତୁତିଃ ।।

ମାନାପମାନୟୋସ୍ତୁଲ୍ୟସ୍ତୁଲ୍ୟୋ ମିତ୍ରାରିପକ୍ଷୟୋଃ ।

ସର୍ବାରମ୍ଭପରିତ୍ୟାଗୀ ଗୁଣାତୀତଃ ସ ଉଚ୍ୟତେ ।।

(ଗୀତା ୧୪ ୨୩-୨୫)

ନତି ହେଉଛି ସୁଖ-ଦୁଃଖ, ପ୍ରଭୃତିକୁ ଭଗବାନଙ୍କର ଇଛା ବୋଲି ଧରିନେଇ ସେହି ଭଗବାନଙ୍କ ନିକଟରେ ନିଜକୁ ସମର୍ପଣ କରି ଦେବା । ସମସ୍ତ ସ୍ପର୍ଶକୁ ଭଗବାନଙ୍କର ସ୍ପର୍ଶ ବୋଲି ମନେ କରି ସ୍ବୀକାର କରିନେବା ତଥା ସମସ୍ତ ଅନୁଭୂତିକୁ ଭଗବାନଙ୍କର ମାନବାତ୍ମାର ସହ ଳୀଳା ଖେଳା ବୋଲି ସ୍ବୀକାର କରିନେବାର ଅର୍ଥ ହିଁ ନତି । ଏହି ନତି ବା ସମର୍ପଣ ତିତିକ୍ଷାର ସହ କରାଯାଇପାରେ, ଉଦାସୀନତାର ସହ କରାଯାଇପାରେ, ଆନନ୍ଦର ସହ ମଧ୍ୟ କରାଯାଇପାରେ । ଯଥା ଦୁଃଖ ବା ସୁଖକୁ ଭଗବାନଙ୍କର ଇଛା ବୋଲି ଧରି ନେଇ ଦୃଢ଼ତାର ସହ ଅବିଚଳିତ ଭାବେ ସ୍ୱୀକାର କରିନେବା ହେଉଛି ତିତିକ୍ଷାର ସହ ନିଜକୁ ଭଗବାନଙ୍କ ନିକଟରେ ସମର୍ପଣ କରିଦେବା । ସର୍ବତୋଭାବେ ଗୁଣାତୀତ ହୋଇ ସବୁକିଛିର ଉର୍ଧ୍ବରେ ଅବସ୍ଥାନ କରି ଆନନ୍ଦ-ନିରାନନ୍ଦ ପ୍ରଭୃତିକୁ ସମଭାବେ ଭଗବାନଙ୍କର ଲୀଳା ବୋଲି ମାନିନେବା ହେଉଛି ଉଦାସୀନତାର ସହ ନିଜକୁ ସମର୍ପି ଦେବା । ସବୁକିଛି ଭଗବାନଙ୍କର ଲୀଳା । ତେଣୁ ଯାହାକିଛି ଏ ଜଗତରେ ଘଟିଚାଲିଛି, ଯାହା କିଛି ନିଜ ଭିତରେ ଘଟି ଚାଲିଛି ଏସବୁ ଆନନ୍ଦମୟ ଭଗବାନଙ୍କର ଲୀଳା ବୋଲି ଅନୁଭବ କରିବାର ଅର୍ଥ ହେଉଛି ଆନନ୍ଦର ସହ ନିଜକୁ ସମର୍ପି ଦେବା । ଏହି ଶେଷ ଅବସ୍ଥାଟି ହେଉଛି ଜଣେ ପୂର୍ଣ୍ଣ ଯୋଗୀର ଅବସ୍ଥା । ସତତ ଅଭ୍ୟାସ କରାଯାଇଥିବା ଭଗବାନଙ୍କ ପ୍ରତି ଆନନ୍ଦମୟ ନମସ୍କାରର ପରିଣାମ ସ୍ବରୂପ ସମସ୍ତ ଦୁଃଖ ଯନ୍ତ୍ରଣାର ସମ୍ପୂର୍ଣ୍ଣ ପରିହାର ଅବସ୍ଥାକୁ ପ୍ରାପ୍ତ କରାଯାଇପାରେ, ତଥା ପୂର୍ଣ୍ଣଭାବେ ସମସ୍ତ ଦୁଃଖରୁ ମୁକ୍ତି ଲାଭକରି କ୍ଷୁଦ୍ରାତିକ୍ଷୁଦ୍ର ବସ୍ତୁରେ, ନିତାନ୍ତ ନଗଣ୍ୟ ବା ଗୁରୁତ୍ବହୀନ ବସ୍ତୁରେ ଏବଂ ମାନବ ଶରୀରରେ ପରିଲକ୍ଷିତ ଜୀବନ ଓ ଅନୁଭୂତିର ସଂଗତି ରହିତ କ୍ଷୁଦ୍ର ଅଂଶମାନଙ୍କରେ ମଧ୍ୟ ବ୍ରହ୍ମାନନ୍ଦର ଉପଲବ୍ଧି କରାଯାଇପାରେ । ଏହା ଦ୍ଵାରା ଭୟ ଓ ଦୁଃଖରୁ ସମ୍ପୂର୍ଣ୍ଣ ମୁକ୍ତି ମିଳିଥାଏ । ଶ୍ରୀ ଅରବିନ୍ଦଙ୍କ ମତରେ ତିତିକ୍ଷା ଓ ଉଦାସୀନତାରୁ ସମତାର ଆରମ୍ଭ କରାଯାଇପାରେ କିନ୍ତୁ ଆନନ୍ଦରେ ହିଁ ସମତାର ସିଦ୍ଧିକୁ ପୂର୍ଣ୍ଣ ରୂପ ପ୍ରଦାନ କରାଯିବା ଉଚିତ୍ ।

ସକ୍ରିୟ ସମତାର ରୂପ ସେହି ସାର୍ବଜନୀନ ଅନୁଭୂତିପରକ ସମ ଆନନ୍ଦକୁ ନେଇ ଗଠିତ । ଏହି ସକ୍ରିୟ ସମତାର ମଧ୍ୟ ତିନିଗୋଟି ସ୍ତର- ରସ, ପ୍ରୀତି, ଆନନ୍ଦ । ରସ ହେଉଛି ସେହି ଗୁଣ ବା ଆସ୍ବାଦର ସାକ୍ଷାତ୍ ଉପଲବ୍ଧି ଯାହାକୁ କି ଲୀଳାମୟ ଇଶ୍ଵର ସ୍ଵୟଂ ଭିନ୍ନ ଭିନ୍ନ ବିଷୟ ବସ୍ତୁରେ ଉପଲବ୍ଧ କରିଥାନ୍ତି, ଏବଂ ନିଜର ଭୋଗ ପାଇଁ ଏହାକୁ ନିଜର ଲୀଳାରେ ସୃଷ୍ଟି କରିଥାନ୍ତି । ସମସ୍ତ ପ୍ରିୟାପ୍ରିୟ ବସ୍ତୁର ଅନୁଭବ ଦ୍ଵାରା ତଥା ମଧୁର-କଟୁ ପ୍ରଭୃତି ରସା ସ୍ୱାଦନ ଦ୍ଵାରା ମନ ମଧ୍ୟରେ ଯେଉଁ ଆନନ୍ଦ ଜାତ ହୁଏ ତାହାହିଁ ପ୍ରୀତି । ଆନନ୍ଦ ହେଉଛି ଭଗବାନଙ୍କର ଭୋଗ ଯାହାକି ସମସ୍ତ ମାନସିକ ଆନନ୍ଦର ଉର୍ଧ୍ଵରେ । ଏହି ଆନନ୍ଦର ସହ ହିଁ ଭଗବାନ ରସକୁ ଭୋଗ କରିଥାନ୍ତି । ଏହି ଆନନ୍ଦରେ ସମସ୍ତ ଦ୍ଵନ୍ଦ୍ୱର ବିପରୀତ ଭାବ ଗୁଡ଼ିକ ଯଥା- ଦୁଃଖ, ନିରାନନ୍ଦ, ପରାଜୟ ପ୍ରଭୃତି ପୂର୍ଣ୍ଣତଃ ଲୁପ୍ତ ହୋଇଥାନ୍ତି ।

ସମତାର ସିଦ୍ଧିରେ ଶକ୍ତିର ପୂର୍ଣ୍ଣତାକୁ ପ୍ରାପ୍ତ କରାଯାଇପାରେ । ଯଦି ମନ ମଧ୍ୟରେ ସାମାନ୍ୟ ମାତ୍ର ଆନ୍ଦୋଳନ ବା ବିକ୍ଷୋଭ ଦେଖାଯାଏ ତେବେ ଏହା ସୁନିଶ୍ଚିତ ଯେ ସମତାରେ କୌଣସି ଦୋଷ ବା ବିଶୃଙ୍ଖଳତା ରହିଛି । ମନୁଷ୍ୟର ମନ ଅତୀବ ଜଟିଳ । ଏହାକୁ ବଶବର୍ତ୍ତୀ କରିବା ଅତ୍ୟନ୍ତ ଦୁଷ୍କର — ‘ଅସଂଶୟଂ ମହାବାହୋ ମନୋଦୁର୍ନିଗ୍ରହଂ ଚଳମ୍’ । । ଏପରିକି ଉଦାସୀନତା ଓ ନତିର ସହ ପୂର୍ଣ୍ଣତଃ ବୁଦ୍ଧିଯୁକ୍ତ ଅବସ୍ଥାରେ ମଧ୍ୟ କୌଣସି ନା କୌଣସି ଅଂଶରେ ବିଦ୍ରୋହ, ବିରୋଧଭାବ, ଅସ୍ଥିରତା ତଥା ଦ୍ଵନ୍ଦ୍ୱର ସମ୍ଭାବନା ରହିଥାଏ ।

ଶ୍ରୀମଦ୍ ଭଗବଦ୍ ଗୀତାରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଏ ପ୍ରସଙ୍ଗରେ କହିଛନ୍ତି :

ଯତତୋ ହ୍ୟପି କୌନ୍ତେୟ ପୁରୁଷସ୍ୟ ବିପଶ୍ଚିତଃ ।

ଇନ୍ଦ୍ରିୟାଣି ପ୍ରମାଥୀନି ହରନ୍ତି ପ୍ରସଭଂ ମନଃ ।। ୨ |୬୦)

ତେଣୁ ମନ, ବୁଦ୍ଧି, ହୃଦୟ, ପ୍ରାଣ, ଶରୀର ଏ ସମସ୍ତ ପୂର୍ଣ୍ଣଭାବେ ସମତାର ବଶବର୍ତ୍ତୀ ହେଲେ ପୂର୍ଣଶାନ୍ତିର ପ୍ରତିଷ୍ଠା ସମ୍ଭବ ହୋଇ ପାରିବ । ଏ ସବୁର ଆଧାର କିନ୍ତୁ ସମର୍ପଣ । ତେଣୁ ପୂର୍ଣ୍ଣ ସମର୍ପଣର ଆଧାରରେ ପ୍ରତିଷ୍ଠିତ ଶାନ୍ତିରେ ହିଁ ପୂର୍ଣ୍ଣ ଯୋଗର ସିଦ୍ଧିକୁ ପ୍ରାପ୍ତ କରାଯାଇପାରେ ।

--

--

Sampadananda Mishra

Author, speaker and researcher on subjects related to Sanskrit, Indian Culture, Spirituality, Yoga and Education. SahityaAkademi and President of India Awardee.